Search This Blog

Tuesday, October 25, 2022

କର୍ଣ୍ଣ ଗଡ଼

 

କର୍ଣ୍ଣଗଡ଼ : ଅନ୍ୟ ଏକ କ୍ଷୁଦ୍ର କୁରୁମବେଡ଼ା...
  ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ "କର୍ଣ୍ଣଗଡ଼ " l ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦ ମାନଙ୍କ ମତରେ ଏହା ପ୍ରାୟ ଛ ଶହ ବର୍ଷ ପୁରୁଣା l
ଗ୍ରାମର ଉତ୍ତରପାର୍ଶ୍ୱରେ ଏକ ଗଡ଼ର ଭଗ୍ନାବଶେଷ l 1757 ରେ ପଲାସୀ ଯୁଦ୍ଧ ପରେ ଇଂରେଜ ମାନେ ଏଇ ଅଞ୍ଚଳ ନିଜ ଅଧୀନକୁ ନେଇଥିଲେ l ସ୍ମରଣଯୋଗ୍ୟ ଏହା ଯେ 1720 ବେଳକୁ ବଙ୍ଗ ବିହାର ଓଡ଼ିଶାର ନବାବ ମୁର୍ଷିଦ କୁଲି ଖାଁ ମେଦିନୀପୁର ଅଞ୍ଚଳକୁ ଓଡ଼ିଶାରୁ ଅଲଗା କରି ବଙ୍ଗଳାରେ ମିଶାଇ ଦେଇଥିଲେ l ଇଂରେଜ ମାନେ ସେ ଜାଗା ଅଧିକାର କରି ନିଷ୍କର ପାଇକାଳି ଜମି ଉପରେ କରଧାର୍ଯ୍ୟ କରିଥିବାରୁ 1770 ରୁ 1799 ପ୍ରଜା ବିଦ୍ରୋହ ଚାଲିଥିଲା l ଏହା "ଚୁଆର ବିଦ୍ରୋହ " ନାମରେ ଖ୍ୟାତ l
  ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ପ୍ରାୟ 80 ଫୁଟ ଓସାର ଶହେ ଫୁଟ ଲମ୍ବା ଏକ ଆୟତାକାର କ୍ଷେତ୍ରରେ ତିନୋଟି ପ୍ରାଚୀନ ମନ୍ଦିର l ସମଗ୍ର ଅଞ୍ଚଳ ତିନିଫୁଟ ଓସାର ଓ ପାଞ୍ଚଫୁଟ ଉଚ୍ଚ ମାଙ୍କଡ଼ା ପଥର କାନ୍ଥ ଦ୍ଵାରା ପରିବେଷ୍ଟିତ l ଉତ୍ତର ପାର୍ଶ୍ୱରେ ସୁନ୍ଦର ଉଚ୍ଚ ସୁସଜ୍ଜିତ ପ୍ରବେଶ ପଥ l ଦକ୍ଷିଣ ପାର୍ଶ୍ୱ ପ୍ରବେଶ ପଥ ଅସମ୍ପୂର୍ଣ,
ପ୍ରଥମ ମହଲ ସମାପ୍ତ, ତା ପରେ ପ୍ରାୟ ପାଞ୍ଚଫୁଟ ଉଚ୍ଚ ସ୍ତମ୍ଭ l
କାନ୍ଥ ଓ ପ୍ରବେଶ ଦ୍ଵାର ନିର୍ମାଣ ଶୈଳୀ ଦେଖିଲେ ପ୍ରସିଦ୍ଧ "କୁରୁମ ବେଡ଼ା " ର କ୍ଷୁଦ୍ର ସଂସ୍କରଣ ପରି ମନେହୁଏ l ଯଦିଓ ପ୍ରବେଶ ଦ୍ଵାର ଉଚ୍ଚ ଓ ପାହାଚ ଯୁକ୍ତ l ସମଗ୍ର ଚତ୍ୱରରେ କୌଣସି ଶିଳାଲିପି ନାହିଁ l ଏଣୁ ଇତିହାସ ଅଜ୍ଞାତ l ତେବେ ପୂର୍ବ ଦିଗ ପାଚିରୀରେ ଆଠ ଇଞ୍ଚ କୁ ଦୁଇ ଫୁଟ ଏକ ସ୍ଥାନ ରେ ସମ୍ଭବତଃ ଏକ ଶିଳାଲିପି ଥିଲା l ବର୍ତମାନ ନାହିଁ l ଦୁଇ ପ୍ରବେଶ ଦ୍ଵାର ନିର୍ମାଣ ସମ୍ପୂର୍ଣ୍ଣ ଉତ୍କଳୀୟ ଶୈଳୀ l ତେବେ ସ୍ଥାନୀୟ ଅଧିବାସୀଗଣ ନିର୍ମାଣ ସମୟ କିମ୍ବା ନିର୍ମାତାଙ୍କ ବିଷୟରେ ଅନଭିଜ୍ଞ l କେବଳ ଶ୍ରୀ ସୁଦିପ ଜାନା କହିଥିଲେ ଯେ ମନ୍ଦିର ନିର୍ମାଣ ପାଇଁ ତାଙ୍କ ପୂର୍ବ ପୁରୁଷ ମାନେ ଓଡ଼ିଶାରୁ ଆସିଥିଲେ l କାହା କାହା ମତରେ ଉତ୍କଳୀୟ ସୋମବଂଶୀ ରାଜା କର୍ଣ୍ଣକେଶରୀ ଏ ମନ୍ଦିର ସମୂହର ନିର୍ମାତା l
        ଦକ୍ଷିଣ ପ୍ରବେଶ ଦ୍ଵାର ନିକଟରେ ଏକ ସରଳ ରେଖାରେ ତିନୋଟି ମନ୍ଦିର l ମଧ୍ୟରେ ପ୍ରାୟ ଷାଠିଏ ଫୁଟ ଉଚ୍ଚ ଶିବ ମନ୍ଦିର l ଅଧିଷ୍ଠାତା ଅନାଦି ଲିଙ୍ଗ ବାବା "ଦଣ୍ଡେଶ୍ୱର " l କେବଳ ମାତ୍ର ଶକ୍ତିପୀଠ l ବାବା ଗୁପ୍ତ ଭାବରେ l ମାଙ୍କଡ଼ା ପଥର କାନ୍ଥ କାରୁକାର୍ଯ୍ୟ ବିହୀନ l ତେବେ ସିମେଣ୍ଟ ପ୍ଳାଷ୍ଟର ହୋଇ କିଛି ମୂର୍ତ୍ତି ଶୋଭା ପାଉଛନ୍ତି l (ମନେ ପଡ଼ିଯାଏ 1991 ବେଳର ଶ୍ରୀଜଗନ୍ନାଥ ମନ୍ଦିର l ଚୂନ ଆସ୍ତରଣ ଉପରେ ରାମ ଲକ୍ଷ୍ମଣ ହନୁମାନ ଚୂନ ମୂର୍ତ୍ତି l) ପରବର୍ତ୍ତୀ ସମୟରେ ମନ୍ଦିରରେ ଅନ୍ୟ ଏକ ଶିବଲିଙ୍ଗ ସ୍ଥାପିତ, ବାବା ଖଡ଼ଗେଶ୍ୱର l
ଦଣ୍ଡେଶ୍ୱର ଜୀଉଙ୍କ ବାମପାର୍ଶ୍ୱରେ ଦେବୀ ମହାମାୟା ବା ବଗଳାମୁଖୀଙ୍କ ଆସ୍ଥାନ l ପ୍ରକୃତରେ କର୍ଣ୍ଣଗଡ଼ ଦେବୀ ମହାମାୟାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ l ତିରିଶ ଫୁଟ ଉଚ୍ଚ ମନ୍ଦିର ମଧ୍ୟରେ ଏକ ଅନୁଚ୍ଚ ପ୍ରସ୍ତର ସିଂହାସନ ଉପରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚ ଦେବୀଙ୍କ ମଣିମୟ ବିଗ୍ରହ l ନିକଟରେ ଆଉଜଣେ ଦେବୀ, ଦକ୍ଷିଣ କାଳୀ l
  ଦଣ୍ଡେଶ୍ୱର ମହାଦେବଙ୍କ ଦକ୍ଷିଣପାର୍ଶ୍ୱରେ ଏକ ହନୁମାନ ମନ୍ଦିର l ମନ୍ଦିର ପୁରାତନ କିନ୍ତୁ ବିଗ୍ରହ ପରବର୍ତ୍ତୀ କାଳୀନ l ସମ୍ଭବତଃ ମୂଳ ହନୁମାନ ବିଗ୍ରହ ମାଙ୍କଡ଼ା ପଥରରେ ତିଆରି ହୋଇ ପୂଜା ପାଉଥିଲେ l ବର୍ତମାନ ସେଇ ମୂର୍ତ୍ତି ବାହାରେ l
     ଦଣ୍ଡେଶ୍ୱର ଓ ମହାମାୟାଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ପାଚିରୀକୁ ଲାଗି ଦେବୀ ଯୋଗମାୟା ମନ୍ଦିର l
   ପ୍ରାୟ ଦେଢ଼ଶହ ବର୍ଷ ତଳେ ଶ୍ରୀ ରଘୁଦାସ ନାମକ ଜଣେ ବାବାଜୀଙ୍କ ଉଦ୍ୟମରେ ମନ୍ଦିର କିଛି ସଂସ୍କାର ଓ ରୀତିନୀତି ପ୍ରଚଳିତ ହୋଇ ଥିଲା l ଏଇ ଦେବୀ ସାଧକଙ୍କ ସ୍ମୃତିରେ ତାଙ୍କ ମୂର୍ତ୍ତି ସମ୍ବଳିତ ଅନ୍ୟ ଏକ ନୂତନ ମନ୍ଦିର ମହାମାୟା ମନ୍ଦିର ସମ୍ମୁଖରେ ନିର୍ମିତ l ଏହାଙ୍କ ଉଦ୍ୟମରେ ବାବା, "ଖଡ଼ଗେଶ୍ୱର ' ସ୍ଥାପିତ ହୋଇଛନ୍ତି l
    ଶାରଦୀୟ ନବରାତ୍ରି, ବାସନ୍ତିକ ନବରାତ୍ରି, ଶିବରାତ୍ରି ପ୍ରମୁଖ ପର୍ବ l ପରିବେଶ ଶାନ୍ତ, ରମଣୀୟ l
   ତେବେ ବାବାଙ୍କ ନାମ "ଦଣ୍ଡେଶ୍ୱର " କାହିଁକି ? ପ୍ରାଚୀନ କାଳରେ ଏ ମେଦିନୀପୁର ଅଞ୍ଚଳ "ଦଣ୍ଡଭୁକ୍ତି " ନାମରେ ପରିଚିତ ଥିଲା l ଅନ୍ତତଃ ପକ୍ଷେ ଗଜପତି ପ୍ରତାପରୁଦ୍ରଙ୍କ ସମୟ ପର୍ଯ୍ୟନ୍ତ l ଦଣ୍ଡଭୁକ୍ତିର ଇଶ୍ୱର ସଂକ୍ଷେପରେ ବୋଧେ "ଦଣ୍ଡେଶ୍ୱର " ହୋଇଛନ୍ତି l

No comments:

Post a Comment