Search This Blog

Tuesday, October 25, 2022

ବିଭୁତି ପଟନାୟକ


#ପୂଜ୍ୟ ପ୍ରଣାମ #
ଗଣସାହିତ୍ୟିକ ଶ୍ରୀ ବିଭୁତି ପଟନାୟକ
--------------------------------------------
  ସେ ଏକ ଇର୍ଷଣୀୟ ରେକର୍ଡର ଅଧିକାରୀ l କ୍ରମାଗତ ତିନି ପୁରୁଷଙ୍କୁ ନିଜ ସାହିତ୍ୟ କୃତିର ମାୟାଜାଲ, ଉପନ୍ୟାସର ଚରିତ୍ର ଓ ଘଟଣା ବଳୀର ଯାଦୁକରୀ ବର୍ଣ୍ଣନା ଦ୍ଵାରା ଅଭିଭୂତ, ମୋହିତ ଓ ଆଚ୍ଛନ୍ନ କରି ରଖନ୍ତି l
ସେ ପ୍ରସିଦ୍ଧ ଔପନ୍ୟାସିକ, ଗାଳ୍ପିକ, ସମାଲୋଚକ, ସମ୍ପାଦକ ଓ ଅଧ୍ୟାପକ ଶ୍ରୀ ବିଭୁତି ପଟନାୟକ l
1937 ଅକ୍ଟୋବର 25 ତାରିଖରେ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ଡିଙ୍ଗେଶ୍ୱର ଗ୍ରାମରେ ପିତା ଆଦର୍ଶ ଶିକ୍ଷକ ଶ୍ରୀ ଗୁଣନିଧି ପଟନାୟକ ଓ ମାତା ଶ୍ରୀମତୀ ତୁଳସୀ ଦେବୀଙ୍କ କୋଳ ମଣ୍ଡନ କରି ଭୂମିଷ୍ଠ ହୋଇଥିଲେ l ଛାତ୍ର ଜୀବନରେ ସମାଜବାଦୀ ଆନ୍ଦୋଳନ ସହ ଜଡିତ ଥିଲେ l ଏଣୁ ଅଧିକାଂଶ ଲେଖାରେ ସମାଜବାଦ ଓ ସାମ୍ୟବାଦୀ ଚିନ୍ତାଧାରାର ପ୍ରତି ଫଳନ ସୁସ୍ପଷ୍ଟ l ତାଙ୍କ ଆତ୍ମଜୀବନୀ "ଜୀବନ ପାତ୍ର ମୋ ଭରିଛ କେତେ ମତେ " ସାମଗ୍ରିକ ଭାବେ ଭାରତ ଓ ନିର୍ଦିଷ୍ଟ ଭାବେ ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଉତ୍ଥାନ ପ୍ରଗତି ଓ ପତନର ଏକ ନିର୍ଭୁଲ ଅଭିଲେଖ l ତତ୍କାଳୀନ କିଛି ଓଡ଼ିଆ ସମାଜବାଦୀନେତାଙ୍କ ତ୍ୟାଗ ପୂତ ଜୀବନୀ ଅତି ମାର୍ମିକ ଭାବେ ବର୍ଣ୍ଣିତ l 1956 ର ଓଡ଼ିଶା ସୀମା ଆନ୍ଦୋଳନରେ ସକ୍ରିୟ ଛାତ୍ର ନେତା ଭାବେ କାରା ବରଣ l
    ପ୍ରଥମ ଅବସ୍ଥାରେ ଓଡ଼ିଶା ସରକାରଙ୍କ ମୁଦ୍ରଣ ବିଭାଗରେ କାର୍ଯ୍ୟରତ ଥିଲେ ହେଁ 1973 ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହା ବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦାନ କରି 1995 ରେ ପ୍ରାଧ୍ୟାପକ ଭାବରେ ଅବସର ଗ୍ରହଣ କରିଥିଲେ l
   ପ୍ରାୟ 150 ଗୋଟି ଉପନ୍ୟାସ, ଗଳ୍ପ ସଞ୍ଚୟନ, ସମାଲୋଚନା, ଶିଶୁ ସାହିତ୍ୟ ଓ କବିତା ବହି ତାଙ୍କ ଲେଖନୀ ମୁନରୁ ଝରି ଆସି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି l
   "ଚପଳଛନ୍ଦା " ଉପନ୍ୟାସ ପ୍ରାକ ସ୍ୱାଧୀନତା କାଳର ରାଜା ରାଜୁଡ଼ା ଅତ୍ୟାଚାର ଉପରେ ଏକ ଅଶ୍ରୁ ସଜଳ ଉପନ୍ୟାସ l
  "ବଧୂ ନିରୁପମା " ଆଦର୍ଶ ନାରୀ ଉପରେ ଏକ ବହୁ ଚର୍ଚ୍ଚିତ ଉପନ୍ୟାସ l ଏ ଉପନ୍ୟାସର ଏତେ ପ୍ରସିଦ୍ଧି ଥିଲା ଯେ ଷାଠିଏ ଦଶକରେ ନବବିବାହିତା ବଧୂ ମାନଙ୍କୁ ବାପଘର ପକ୍ଷରୁ ଏ ଆଦର୍ଶ ବୋହୁର କର୍ତ୍ତବ୍ୟ ଅନୁସରଣ ପାଇଁ ଦିଆ ଯାଉଥିଲା l ପରବର୍ତ୍ତୀ ସମୟରେ ବଧୂ ନିରୁପମା  ସିନେମାରେ ରୁପାୟିତ ହୋଇ ପ୍ରଭୂତ ଆଦର ଲାଭ କରିଥିଲା l
  ହେ ବନ୍ଧୁ ବିଦାୟ, ଏଇ ମନ ବୃନ୍ଦାବନ, ତୁମେ ତୃଷ୍ଣାର ଜଳ, ମାୟାବୀ ହୃଦୟ, ଗାରେ କଜ୍ଜଳ ଧାରେ ଲୁହ, ଟୋପାଏ ସିନ୍ଦୁର ଦିପଟ ଶଙ୍ଖା, ନାଗଫେଣୀ, ଆଗ୍ନେୟଗିରିରେ ବଣଭୋଜି, ଅଶ୍ୱମେଧର ଘୋଡ଼ା ଇତ୍ୟାଦି କିଛି ବିଶିଷ୍ଟ ଉପନ୍ୟାସ l
ଓଡ଼ିଆ ସାହିତ୍ୟର ସମାଜତାତ୍ଵିକ ରୂପରେଖ,
ସାମ୍ପ୍ରତିକ ସାହିତ୍ୟ, ସାହିତ୍ୟର ସୂଚୀପତ୍ର, ଇଶ୍ୱରଙ୍କ ଉତ୍ଥାନ - ପତନ ତାଙ୍କର କିଛି ସମାଲୋଚନା ଗ୍ରନ୍ଥ l
ଗଳ୍ପ ସମଗ୍ର, ଜୀବନର ଜଟିଳତା,ମନ ଭଲ ନାହିଁ,ରାଜକନ୍ୟାର ଦୁଃଖ, କେତେ ଯେ ବସନ୍ତ ସତେ ପ୍ରଭୃତି ଗଳ୍ପ ସଞ୍ଚୟନ ଦ୍ଵାରା ଆମ ଗଳ୍ପ ବିଭାଗ ସମୃଦ୍ଧ l
ଦ୍ଵାରକା ଦର୍ଶନ, ତୀରେ ତୀରେ ତୀର୍ଥ ପରି ଭ୍ରମଣ କାହାଣୀ ମଧ୍ୟ ତାଙ୍କ ସୁନ୍ଦର କୃତି l
  ଅନିୟମିତ ତ୍ରୟମାସିକ ପତ୍ରିକା "ଗଳ୍ପ " ର ସେ ସମ୍ପାଦକ l
ପ୍ରଜାତନ୍ତ୍ର ବିଷୁବ ମିଳନ ସମ୍ମାନ,ଝଙ୍କାର ସମ୍ମାନ,ଓଡିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ରେ ସାହିତ୍ୟିକ ଶ୍ରୀ ବିଭୁତି ପଟନାୟକ ସମ୍ମାନିତ l
  ଧରାବତରଣ ଦିବସରେ ତିନି ପୁରୁଷିଆ ଗଣ ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ପଟନାୟକଙ୍କୁ ପ୍ରଣାମ ଓ ଦୀର୍ଘ ନିରାମୟ ଜୀବନ ନିମିତ୍ତ ଭଗବାନଙ୍କ ଠାରେ ପ୍ରାର୍ଥନା l🙏🏼🌹🙏🏼
ଚିତ୍ର କୃତଜ୍ଞତା - ଉଇକିପେଡ଼ିଆ

  

କର୍ଣ୍ଣ ଗଡ଼

 

କର୍ଣ୍ଣଗଡ଼ : ଅନ୍ୟ ଏକ କ୍ଷୁଦ୍ର କୁରୁମବେଡ଼ା...
  ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ "କର୍ଣ୍ଣଗଡ଼ " l ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦ ମାନଙ୍କ ମତରେ ଏହା ପ୍ରାୟ ଛ ଶହ ବର୍ଷ ପୁରୁଣା l
ଗ୍ରାମର ଉତ୍ତରପାର୍ଶ୍ୱରେ ଏକ ଗଡ଼ର ଭଗ୍ନାବଶେଷ l 1757 ରେ ପଲାସୀ ଯୁଦ୍ଧ ପରେ ଇଂରେଜ ମାନେ ଏଇ ଅଞ୍ଚଳ ନିଜ ଅଧୀନକୁ ନେଇଥିଲେ l ସ୍ମରଣଯୋଗ୍ୟ ଏହା ଯେ 1720 ବେଳକୁ ବଙ୍ଗ ବିହାର ଓଡ଼ିଶାର ନବାବ ମୁର୍ଷିଦ କୁଲି ଖାଁ ମେଦିନୀପୁର ଅଞ୍ଚଳକୁ ଓଡ଼ିଶାରୁ ଅଲଗା କରି ବଙ୍ଗଳାରେ ମିଶାଇ ଦେଇଥିଲେ l ଇଂରେଜ ମାନେ ସେ ଜାଗା ଅଧିକାର କରି ନିଷ୍କର ପାଇକାଳି ଜମି ଉପରେ କରଧାର୍ଯ୍ୟ କରିଥିବାରୁ 1770 ରୁ 1799 ପ୍ରଜା ବିଦ୍ରୋହ ଚାଲିଥିଲା l ଏହା "ଚୁଆର ବିଦ୍ରୋହ " ନାମରେ ଖ୍ୟାତ l
  ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ପ୍ରାୟ 80 ଫୁଟ ଓସାର ଶହେ ଫୁଟ ଲମ୍ବା ଏକ ଆୟତାକାର କ୍ଷେତ୍ରରେ ତିନୋଟି ପ୍ରାଚୀନ ମନ୍ଦିର l ସମଗ୍ର ଅଞ୍ଚଳ ତିନିଫୁଟ ଓସାର ଓ ପାଞ୍ଚଫୁଟ ଉଚ୍ଚ ମାଙ୍କଡ଼ା ପଥର କାନ୍ଥ ଦ୍ଵାରା ପରିବେଷ୍ଟିତ l ଉତ୍ତର ପାର୍ଶ୍ୱରେ ସୁନ୍ଦର ଉଚ୍ଚ ସୁସଜ୍ଜିତ ପ୍ରବେଶ ପଥ l ଦକ୍ଷିଣ ପାର୍ଶ୍ୱ ପ୍ରବେଶ ପଥ ଅସମ୍ପୂର୍ଣ,
ପ୍ରଥମ ମହଲ ସମାପ୍ତ, ତା ପରେ ପ୍ରାୟ ପାଞ୍ଚଫୁଟ ଉଚ୍ଚ ସ୍ତମ୍ଭ l
କାନ୍ଥ ଓ ପ୍ରବେଶ ଦ୍ଵାର ନିର୍ମାଣ ଶୈଳୀ ଦେଖିଲେ ପ୍ରସିଦ୍ଧ "କୁରୁମ ବେଡ଼ା " ର କ୍ଷୁଦ୍ର ସଂସ୍କରଣ ପରି ମନେହୁଏ l ଯଦିଓ ପ୍ରବେଶ ଦ୍ଵାର ଉଚ୍ଚ ଓ ପାହାଚ ଯୁକ୍ତ l ସମଗ୍ର ଚତ୍ୱରରେ କୌଣସି ଶିଳାଲିପି ନାହିଁ l ଏଣୁ ଇତିହାସ ଅଜ୍ଞାତ l ତେବେ ପୂର୍ବ ଦିଗ ପାଚିରୀରେ ଆଠ ଇଞ୍ଚ କୁ ଦୁଇ ଫୁଟ ଏକ ସ୍ଥାନ ରେ ସମ୍ଭବତଃ ଏକ ଶିଳାଲିପି ଥିଲା l ବର୍ତମାନ ନାହିଁ l ଦୁଇ ପ୍ରବେଶ ଦ୍ଵାର ନିର୍ମାଣ ସମ୍ପୂର୍ଣ୍ଣ ଉତ୍କଳୀୟ ଶୈଳୀ l ତେବେ ସ୍ଥାନୀୟ ଅଧିବାସୀଗଣ ନିର୍ମାଣ ସମୟ କିମ୍ବା ନିର୍ମାତାଙ୍କ ବିଷୟରେ ଅନଭିଜ୍ଞ l କେବଳ ଶ୍ରୀ ସୁଦିପ ଜାନା କହିଥିଲେ ଯେ ମନ୍ଦିର ନିର୍ମାଣ ପାଇଁ ତାଙ୍କ ପୂର୍ବ ପୁରୁଷ ମାନେ ଓଡ଼ିଶାରୁ ଆସିଥିଲେ l କାହା କାହା ମତରେ ଉତ୍କଳୀୟ ସୋମବଂଶୀ ରାଜା କର୍ଣ୍ଣକେଶରୀ ଏ ମନ୍ଦିର ସମୂହର ନିର୍ମାତା l
        ଦକ୍ଷିଣ ପ୍ରବେଶ ଦ୍ଵାର ନିକଟରେ ଏକ ସରଳ ରେଖାରେ ତିନୋଟି ମନ୍ଦିର l ମଧ୍ୟରେ ପ୍ରାୟ ଷାଠିଏ ଫୁଟ ଉଚ୍ଚ ଶିବ ମନ୍ଦିର l ଅଧିଷ୍ଠାତା ଅନାଦି ଲିଙ୍ଗ ବାବା "ଦଣ୍ଡେଶ୍ୱର " l କେବଳ ମାତ୍ର ଶକ୍ତିପୀଠ l ବାବା ଗୁପ୍ତ ଭାବରେ l ମାଙ୍କଡ଼ା ପଥର କାନ୍ଥ କାରୁକାର୍ଯ୍ୟ ବିହୀନ l ତେବେ ସିମେଣ୍ଟ ପ୍ଳାଷ୍ଟର ହୋଇ କିଛି ମୂର୍ତ୍ତି ଶୋଭା ପାଉଛନ୍ତି l (ମନେ ପଡ଼ିଯାଏ 1991 ବେଳର ଶ୍ରୀଜଗନ୍ନାଥ ମନ୍ଦିର l ଚୂନ ଆସ୍ତରଣ ଉପରେ ରାମ ଲକ୍ଷ୍ମଣ ହନୁମାନ ଚୂନ ମୂର୍ତ୍ତି l) ପରବର୍ତ୍ତୀ ସମୟରେ ମନ୍ଦିରରେ ଅନ୍ୟ ଏକ ଶିବଲିଙ୍ଗ ସ୍ଥାପିତ, ବାବା ଖଡ଼ଗେଶ୍ୱର l
ଦଣ୍ଡେଶ୍ୱର ଜୀଉଙ୍କ ବାମପାର୍ଶ୍ୱରେ ଦେବୀ ମହାମାୟା ବା ବଗଳାମୁଖୀଙ୍କ ଆସ୍ଥାନ l ପ୍ରକୃତରେ କର୍ଣ୍ଣଗଡ଼ ଦେବୀ ମହାମାୟାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ l ତିରିଶ ଫୁଟ ଉଚ୍ଚ ମନ୍ଦିର ମଧ୍ୟରେ ଏକ ଅନୁଚ୍ଚ ପ୍ରସ୍ତର ସିଂହାସନ ଉପରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚ ଦେବୀଙ୍କ ମଣିମୟ ବିଗ୍ରହ l ନିକଟରେ ଆଉଜଣେ ଦେବୀ, ଦକ୍ଷିଣ କାଳୀ l
  ଦଣ୍ଡେଶ୍ୱର ମହାଦେବଙ୍କ ଦକ୍ଷିଣପାର୍ଶ୍ୱରେ ଏକ ହନୁମାନ ମନ୍ଦିର l ମନ୍ଦିର ପୁରାତନ କିନ୍ତୁ ବିଗ୍ରହ ପରବର୍ତ୍ତୀ କାଳୀନ l ସମ୍ଭବତଃ ମୂଳ ହନୁମାନ ବିଗ୍ରହ ମାଙ୍କଡ଼ା ପଥରରେ ତିଆରି ହୋଇ ପୂଜା ପାଉଥିଲେ l ବର୍ତମାନ ସେଇ ମୂର୍ତ୍ତି ବାହାରେ l
     ଦଣ୍ଡେଶ୍ୱର ଓ ମହାମାୟାଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ପାଚିରୀକୁ ଲାଗି ଦେବୀ ଯୋଗମାୟା ମନ୍ଦିର l
   ପ୍ରାୟ ଦେଢ଼ଶହ ବର୍ଷ ତଳେ ଶ୍ରୀ ରଘୁଦାସ ନାମକ ଜଣେ ବାବାଜୀଙ୍କ ଉଦ୍ୟମରେ ମନ୍ଦିର କିଛି ସଂସ୍କାର ଓ ରୀତିନୀତି ପ୍ରଚଳିତ ହୋଇ ଥିଲା l ଏଇ ଦେବୀ ସାଧକଙ୍କ ସ୍ମୃତିରେ ତାଙ୍କ ମୂର୍ତ୍ତି ସମ୍ବଳିତ ଅନ୍ୟ ଏକ ନୂତନ ମନ୍ଦିର ମହାମାୟା ମନ୍ଦିର ସମ୍ମୁଖରେ ନିର୍ମିତ l ଏହାଙ୍କ ଉଦ୍ୟମରେ ବାବା, "ଖଡ଼ଗେଶ୍ୱର ' ସ୍ଥାପିତ ହୋଇଛନ୍ତି l
    ଶାରଦୀୟ ନବରାତ୍ରି, ବାସନ୍ତିକ ନବରାତ୍ରି, ଶିବରାତ୍ରି ପ୍ରମୁଖ ପର୍ବ l ପରିବେଶ ଶାନ୍ତ, ରମଣୀୟ l
   ତେବେ ବାବାଙ୍କ ନାମ "ଦଣ୍ଡେଶ୍ୱର " କାହିଁକି ? ପ୍ରାଚୀନ କାଳରେ ଏ ମେଦିନୀପୁର ଅଞ୍ଚଳ "ଦଣ୍ଡଭୁକ୍ତି " ନାମରେ ପରିଚିତ ଥିଲା l ଅନ୍ତତଃ ପକ୍ଷେ ଗଜପତି ପ୍ରତାପରୁଦ୍ରଙ୍କ ସମୟ ପର୍ଯ୍ୟନ୍ତ l ଦଣ୍ଡଭୁକ୍ତିର ଇଶ୍ୱର ସଂକ୍ଷେପରେ ବୋଧେ "ଦଣ୍ଡେଶ୍ୱର " ହୋଇଛନ୍ତି l

ଶିଶୁପାଳ ଗଡ଼

 

##ବିଲୁପ୍ତଐତିହ୍ୟ :ଶିଶୁପାଳଗଡ଼ ##
  "ତକୀ ଖାଁର ଲସ୍କର ମାନେ ଶିଶୁପାଳ ଗଡ଼ ସୀମା ମାଡିବାକୁ ପ୍ରଥମେ ଭରସୁ ନ ଥିଲେ l ଅତୀତରେ ବହୁ ଦନ୍ତା ଦନ୍ତା ଫୌଜଦାର ଶିଶୁପାଳଗଡ଼ର ପାଇକ ମାନଙ୍କ ମାଡ଼ରେ ମୁହଁ ମାଡ଼ି ପଡ଼ିଛନ୍ତି l କଳାପାହାଡ଼ ସୁଦ୍ଧା ଶିଶୁପାଳ ଗଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଟିପ ଦେଇ ପାରି ନଥିଲା l" ନୀଳଶୈଳ, ପୃ -168, ଶ୍ରୀ ସୁରେନ୍ଦ୍ର ମହାନ୍ତି l
  "ଏ ମହାରାଜାଙ୍କ ଅ 8ଙ୍କ ଧନୁ ଦି 22ନେ କଟକ ସୁବା ସୁଜା ଖାଁ ପୁଅ ମହମ୍ମଦ ତକୀ ଖାଁ ନସକର ଘେନି ଶିଶୁପାଳଗଡ଼ ଖେଳାଇ ( ଖୋଳାଇ ) ଦେଲା l" ମାଦଳା ପାଞ୍ଜି..
    ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦ ଦେବଙ୍କ ନିଧନ ପରେ ଭୋଇ ରାମଚନ୍ଦ୍ର ଦେବ ପ୍ରଥମ ବରୁଣେଇ ପର୍ବତ ତଳେ ଜଗନ୍ନାଥ କଟକ ପ୍ରତିଷ୍ଠା କରି ଅର୍ଦ୍ଧସ୍ୱାଧୀନ ଖୋର୍ଦ୍ଧା ରାଜ୍ୟ ଖ୍ରୀ.1576 ବେଳେ ପ୍ରତିଷ୍ଠା କରିଥିଲେ l ତାଙ୍କ ଅଧୀନରେ 71 ଟି ଗଡ଼ ଆଉ 29 ଟି କିଲ୍ଲା ବା ଜମିଦାରୀ ଥିଲା l ମୋଗଲ ଦସ୍ତାବିଜ ଅନୁସାରେ 71 ଟି ଗଡ଼ର ବର୍ଣ୍ଣନାରୁ ଆମେ ଚତୁର୍ଥ ଗଡ଼ "ଶିଶୁପାଳଗଡ଼ " ବୋଲି ଜାଣିବାକୁ ପାଉ l
  ଶିଶୁପାଳ ଶ୍ରୀକୃଷ୍ଣଙ୍କ ମାଉସୀ ପୁଅ ଭାଇ l ଚେଦି ରାଜ ଦମଘୋଷଙ୍କ ପୁଅ l "ଚେଦି " ଶବ୍ଦ ଆମକୁ ସ୍ମରଣ କରେଇ ଦିଏ କଳିଙ୍ଗର ପ୍ରଥମ ଦିଗବିଜୟୀ ସମ୍ରାଟ ଚେଦିବଂଶାବତଂସ ମହାମେଘବାହନ ଐର ଖାରବେଳଙ୍କ କଥା l ସେଇ ଅନାଲୋଚିତ ସମ୍ରାଟ, ଯଶ, ଖ୍ୟାତି, କୀର୍ତ୍ତିର ତୁଙ୍ଗ ସୀମାରେ ଥିବା ବେଳେ ମାତ୍ର 39 ବର୍ଷରେ ସମସ୍ତ ତ୍ୟାଗ କରି ସନ୍ୟାସୀ ହୋଇ ଯାଇଥିଲେ l ଅଦ୍ୟାପି ଖଣ୍ଡଗିରି ଓ ଉଦୟଗିରି ତାଙ୍କ କୀର୍ତ୍ତିର ସାକ୍ଷୀ l
ଶିଶୁପାଳଗଡ଼ ଓ ସମ୍ରାଟ ଖାରବେଳଙ୍କ କିଛି ସମ୍ପର୍କ ଅଛି କି ?
  ଭୁବନେଶ୍ୱରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ଦୁଇ କିଲୋମିଟର ଦୂରରେ ଗନ୍ଧବତୀ ନଦୀ ବା ଗଙ୍ଗୁଆ ନାଳରେ ଦିନେ ଶୋଭା ପାଉଥିଲା ବିଶାଳ ଶିଶୁପାଳଗଡ଼ ଦୁର୍ଗ l ହୁଏତ ସମ୍ରାଟ ଖାରବେଳଙ୍କ ରାଜଧାନୀ କଳିଙ୍ଗନଗର ବା କେଶରୀ ବଂଶୀୟ ରାଜା ଶିଶୁପାଳ କେଶରୀ ପ୍ରତିଷ୍ଠିତ ଦୁର୍ଗ l
       ଯଥାର୍ଥରେ ଏ ଦୁର୍ଗ ଥିଲା ବିଶାଳ l ଉତ୍ତର ଓ ପଶ୍ଚିମ ଦିଗରେ ଗଙ୍ଗୁଆ ନାଳ ପ୍ରାକୃତିକ ପରିଖା ପରି ରହିଥିଲା l ଆୟତାକାର ଏହି ଦୁର୍ଗର ଆୟତନ ଥିଲା ପ୍ରାୟ 3700*3600 ଫୁଟ, ତିନିଶହ ଚାଳିଶ ଏକର ପରିମିତ ଜାଗା l ଏଠାରେ ସ୍ମରଣଯୋଗ୍ୟ ପ୍ରସିଦ୍ଧ ବାରବାଟୀ ଦୁର୍ଗର ଆୟତନ ଥିଲା 2100*1800 ଫୁଟ ପ୍ରାୟ ନବେ ଏକର l ରଥିପୁର, ରାଇବଣିଆ କୋଉ ଦୁର୍ଗ ବି ଏତେ ବିଶାଳ ନଥିଲା  l ଶିଶୁପାଳଗଡ଼ ଚତୁର୍ଦିଗରେ କୋଡ଼ିଏ ପଚିଶ ଫୁଟ ଉଚ୍ଚ ଓ ବାର ଫୁଟ ଓସାରର ସୁଉଚ୍ଚ ମାଟି ପାଚିରୀ ଥିଲା l ଭିତରେ ଓ ବାହାରେ କଣ୍ଟା ବାଉଁଶ ଝାଡ଼ ଅନ୍ୟତମ ପ୍ରତିରକ୍ଷା ପ୍ରଣାଳୀ ଭାବେ ଥିଲା l ପ୍ରତ୍ୟେକ ପାର୍ଶ୍ୱରେ ଦୁଇଟି କରି ପ୍ରବେଶ ଦ୍ଵାର ଥିଲା l ଦୁର୍ଭାଗ୍ୟର ବିଷୟ 2.12.1731 ରେ କଟକ ନାଏବ ନାଜିମ ମହମ୍ମଦ ତକୀ ଖାଁର ଆକ୍ରମଣରେ ଏ ଦୁର୍ଗ ଧ୍ବଂସ ପାଇଁ ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇଗଲା l ଶିଶୁପାଳଗଡ଼ ସହ ତକୀ ଖାଁ ସେ ସମୟରେ ରଥିପୁର ଗଡ଼ ଓ ଧଉଳି ଗଡ଼ର ମଧ୍ୟ୍ ଧ୍ବଂସ ସାଧନ କରିଥିଲା l
   ଦୀର୍ଘଦିନ ପରିତ୍ୟକ୍ତ ରହିବା ପରେ 1948 ରେ ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିଦ ଡକ୍ଟର ବି ବି ଲାଲ ଭାରତୀୟ ପୁରାତତ୍ତ୍ୱ ସଂସ୍ଥା ପକ୍ଷରୁ ଶିଶୁପାଳ ଗଡ଼ର ଉତଖନନ ଆରମ୍ଭ କରିଥିଲେ l ସେ ସମୟରେ କିଛି ମାଟି ପାତ୍ର, ମୁଦ୍ରା, ମାଟି ଅଳଙ୍କାର ଯଥା ଚୁଡ଼ି, ହାର ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିଲା l ବର୍ତମାନ ସେ ସବୁର ସ୍ଥିତି ଅନ୍ଧକାର ମଧ୍ୟରେ l ଏ ସମୟରେ ଲୋକ ଲୋଚନକୁ ଆସିଥିଲା  ଦୁର୍ଗର ମାଙ୍କଡ଼ା ପଥର ନିର୍ମିତ ବିଶାଳ ମୁଖ୍ୟ ପ୍ରବେଶ ଦ୍ଵାର, ଏକ ଭବନର ଅବଶିଷ୍ଟାଂଶ ମାଙ୍କଡ଼ା ପଥରର ଅଠର ଗୋଟି କୋଡ଼ିଏ ଫୁଟ ଉଚ୍ଚ ସ୍ତମ୍ଭ ଇତ୍ୟାଦି l ଶ୍ରୀ ଲାଲଙ୍କ ମତରେ ମୋଟା ମୋଟି  ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ରୁ ଖ୍ରୀଷ୍ଟପର ପଞ୍ଚମ ଶତାବ୍ଦୀ ମଧ୍ୟରେ ଚାରୋଟି ନଗର ସଭ୍ୟତାର ନିଦର୍ଶନ ଶିଶୁପାଳଗଡ଼ରୁ ମିଳେ l
2001 ରେ ଡକ୍ଟର ଆର କେ ମହାନ୍ତି ଓ ମନିକା ସ୍ମିଥ ପୁଣି ଖନନ ଆରମ୍ଭ କରିଥିଲେ ଏବଂ ସେଇ ଅଠର ଖମ୍ବ ଅଞ୍ଚଳରୁ ଏକ ପ୍ରାଚୀନ ପଥର କୂପର ସନ୍ଧାନ ପାଇଥିଲେ l
ଡକ୍ଟର ଆର କେ ମହାନ୍ତିଙ୍କ ମତରେ ପ୍ରାୟ562 ଏକର ପରିମିତ ସ୍ଥାନରେ 25000 ବ୍ୟକ୍ତିଙ୍କ ଆବାସ ସ୍ଥଳ ଥିଲା ଶିଶୁପାଳଗଡ଼ l ପ୍ରାଚୀନ ଯୁଗରେ ଏଭଳି ବଡ଼ ନଗର କୈନ୍ଦ୍ରିକ ସଭ୍ୟତା ଅତ୍ୟନ୍ତ ବିରଳ l
      ବର୍ତମାନ ଶିଶୁପାଳଗଡ଼ ଅବସ୍ଥା ଅତ୍ୟନ୍ତ ଶୋଚନୀୟ l ସମୁଦାୟ 562 ଏକର ଅଞ୍ଚଳ, ଗଡ଼ ଭିତର ଓ ବାହାର ନେଇ କିନ୍ତୁ A. S. I. ଅଧୀନରେ ମାତ୍ର 0.77 ଏକର l ସଂରକ୍ଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ଅବାଧ ଗୃହ ନିର୍ମାଣ ଦ୍ଵାରା ବହୁଳାଂଶ ବ୍ୟକ୍ତିଗତ ମାଲିକାନା ହାତକୁ  ଚାଲି ଯାଇଛି l ଆସ୍ତେ ଆସ୍ତେ ବିଲୁପ୍ତ ହୋଇ ଯାଉଛି ପ୍ରାଚୀନ ଭିତ୍ତିପ୍ରସ୍ତର କିମ୍ବା କୂପ l ଏମିତିକି ଡକ୍ଟର ଲାଲ ପ୍ରାସାଦ ଅବଶିଷ୍ଟାଂଶ ଭାବେ ଅଠର ଗୋଟି ଉଚ୍ଚ ସ୍ତମ୍ଭର ସୂଚନା ଦେଇଥିଲେ, ବର୍ତମାନ ସେ ସ୍ଥାନର ନାମ "ଷୋଳଖମ୍ବ ", କିନ୍ତୁ ମାତ୍ର ତେର ଗୋଟି ସ୍ତମ୍ଭ ଦେଖାଯାଏ l ଶୁଣାଶୁଣିରେ ଲୋକ ମାନେ ତିନୋଟି ଖମ୍ବ ଭାଙ୍ଗି ଦେଇଛନ୍ତି l 2001 ରେ ଡକ୍ଟର ମହାନ୍ତି ଯେଉଁ ପ୍ରାଚୀନ କୂପ ଉଦ୍ଧାର କରିଥିଲେ ବର୍ତମାନ ତାହା ଅନାବନା ଗଛରେ ପରିପୂର୍ଣ୍ଣ l ସେ ଅଞ୍ଚଳ ଜନସାଧାରଣଙ୍କ ଉନ୍ମୁକ୍ତ ଶୌଚାଳୟ l ସେ ସ୍ତମ୍ଭ ଦେଖିବାକୁ ହେଲେ ମୁହଁରେ ରୁମାଲ ଓ ତଳକୁ ସତର୍କ ଦୃଷ୍ଟି ନିହାତି ଆବଶ୍ୟକ l ପାଖରେ "ଛେଦା ପୋଖରୀ " ବା "ରାଣୀ ଗାଧୁଆ ପୋଖରୀ " l
   ତେବେ ମୋଟାମୋଟି ମାଟି ପ୍ରାଚୀର ସବୁ ବହୁଳାଂଶରେ ଅକ୍ଷୁର୍ଣ୍ଣ l ସଂରକ୍ଷିତ ହେଲେ ହେଁ ଉତ୍ତର ପାଚିରୀ ଉପରେ ଘର ତିଆରି ହୋଇଛି l ASI କେବଳ କେତୋଟି ସ୍ଥାନରେ "ସଂରକ୍ଷିତ ଅଞ୍ଚଳ " ଫଳକ ମାରିଦେଇ ଚୁପ l
ଏପରିକି "ଶିଶୁପାଳଗଡ଼ " ନାମ ମଧ୍ୟ କୋଉଠି ଉଲ୍ଲେଖ ନାହିଁ l ରାଜ୍ୟ ସରକାର ଦକ୍ଷିଣପଟେ ଏକ ଦୁର୍ଗ ପ୍ରବେଶ ଦ୍ଵାର କରିଦେଇ ନିଶ୍ଚିନ୍ତ l
ଗଡ଼ ମଧ୍ୟରେ ଗଡ଼ଚଣ୍ଡୀ ମନ୍ଦିର, ମନ୍ଦିର ଓ ବିଗ୍ରହ ନୂତନ l କିନ୍ତୁ ପଶ୍ଚିମ ଦିଗରେ ଗଙ୍ଗୁଆ ନାଳ ପାଖରେ ଗଡ଼ ମହାବୀର ମନ୍ଦିର l ମନ୍ଦିର ନୂତନ ମାତ୍ର ଚାରିଫୁଟ ଉଚ୍ଚ ବିଗ୍ରହ ଅତି ପ୍ରାଚୀନ l ପୂଜକ କହିବାରେ ନବମ ଶତାବ୍ଦୀ ସମୟର l
   ଜର୍ମାନୀର ହିଡେଲବର୍ଗ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଲ ୟୁଲ କହିଥିଲେ "We have
One Sisupalgarh in the entire world and we have to preserve it... ଆମେ ମାନେ ବୋଧେ "ନିତି ମଳୁକୁ ବଇଦ କାହିଁ " ନୀତିରେ ବିଶ୍ୱାସୀ l ଧୀରେ ଧୀରେ ଆମ ଆଖି ଆଗରେ ଲୋପ ପାଇଯିବ 2500 ବର୍ଷର ଇତିହାସ 😥😥😥

  

Thursday, November 15, 2018


In the lap of mother nature... Images from NIA Pune.. courtesy Bibha Pai madam