Search This Blog

Tuesday, October 25, 2022

ବିଭୁତି ପଟନାୟକ


#ପୂଜ୍ୟ ପ୍ରଣାମ #
ଗଣସାହିତ୍ୟିକ ଶ୍ରୀ ବିଭୁତି ପଟନାୟକ
--------------------------------------------
  ସେ ଏକ ଇର୍ଷଣୀୟ ରେକର୍ଡର ଅଧିକାରୀ l କ୍ରମାଗତ ତିନି ପୁରୁଷଙ୍କୁ ନିଜ ସାହିତ୍ୟ କୃତିର ମାୟାଜାଲ, ଉପନ୍ୟାସର ଚରିତ୍ର ଓ ଘଟଣା ବଳୀର ଯାଦୁକରୀ ବର୍ଣ୍ଣନା ଦ୍ଵାରା ଅଭିଭୂତ, ମୋହିତ ଓ ଆଚ୍ଛନ୍ନ କରି ରଖନ୍ତି l
ସେ ପ୍ରସିଦ୍ଧ ଔପନ୍ୟାସିକ, ଗାଳ୍ପିକ, ସମାଲୋଚକ, ସମ୍ପାଦକ ଓ ଅଧ୍ୟାପକ ଶ୍ରୀ ବିଭୁତି ପଟନାୟକ l
1937 ଅକ୍ଟୋବର 25 ତାରିଖରେ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ଡିଙ୍ଗେଶ୍ୱର ଗ୍ରାମରେ ପିତା ଆଦର୍ଶ ଶିକ୍ଷକ ଶ୍ରୀ ଗୁଣନିଧି ପଟନାୟକ ଓ ମାତା ଶ୍ରୀମତୀ ତୁଳସୀ ଦେବୀଙ୍କ କୋଳ ମଣ୍ଡନ କରି ଭୂମିଷ୍ଠ ହୋଇଥିଲେ l ଛାତ୍ର ଜୀବନରେ ସମାଜବାଦୀ ଆନ୍ଦୋଳନ ସହ ଜଡିତ ଥିଲେ l ଏଣୁ ଅଧିକାଂଶ ଲେଖାରେ ସମାଜବାଦ ଓ ସାମ୍ୟବାଦୀ ଚିନ୍ତାଧାରାର ପ୍ରତି ଫଳନ ସୁସ୍ପଷ୍ଟ l ତାଙ୍କ ଆତ୍ମଜୀବନୀ "ଜୀବନ ପାତ୍ର ମୋ ଭରିଛ କେତେ ମତେ " ସାମଗ୍ରିକ ଭାବେ ଭାରତ ଓ ନିର୍ଦିଷ୍ଟ ଭାବେ ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ଉତ୍ଥାନ ପ୍ରଗତି ଓ ପତନର ଏକ ନିର୍ଭୁଲ ଅଭିଲେଖ l ତତ୍କାଳୀନ କିଛି ଓଡ଼ିଆ ସମାଜବାଦୀନେତାଙ୍କ ତ୍ୟାଗ ପୂତ ଜୀବନୀ ଅତି ମାର୍ମିକ ଭାବେ ବର୍ଣ୍ଣିତ l 1956 ର ଓଡ଼ିଶା ସୀମା ଆନ୍ଦୋଳନରେ ସକ୍ରିୟ ଛାତ୍ର ନେତା ଭାବେ କାରା ବରଣ l
    ପ୍ରଥମ ଅବସ୍ଥାରେ ଓଡ଼ିଶା ସରକାରଙ୍କ ମୁଦ୍ରଣ ବିଭାଗରେ କାର୍ଯ୍ୟରତ ଥିଲେ ହେଁ 1973 ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହା ବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦାନ କରି 1995 ରେ ପ୍ରାଧ୍ୟାପକ ଭାବରେ ଅବସର ଗ୍ରହଣ କରିଥିଲେ l
   ପ୍ରାୟ 150 ଗୋଟି ଉପନ୍ୟାସ, ଗଳ୍ପ ସଞ୍ଚୟନ, ସମାଲୋଚନା, ଶିଶୁ ସାହିତ୍ୟ ଓ କବିତା ବହି ତାଙ୍କ ଲେଖନୀ ମୁନରୁ ଝରି ଆସି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି l
   "ଚପଳଛନ୍ଦା " ଉପନ୍ୟାସ ପ୍ରାକ ସ୍ୱାଧୀନତା କାଳର ରାଜା ରାଜୁଡ଼ା ଅତ୍ୟାଚାର ଉପରେ ଏକ ଅଶ୍ରୁ ସଜଳ ଉପନ୍ୟାସ l
  "ବଧୂ ନିରୁପମା " ଆଦର୍ଶ ନାରୀ ଉପରେ ଏକ ବହୁ ଚର୍ଚ୍ଚିତ ଉପନ୍ୟାସ l ଏ ଉପନ୍ୟାସର ଏତେ ପ୍ରସିଦ୍ଧି ଥିଲା ଯେ ଷାଠିଏ ଦଶକରେ ନବବିବାହିତା ବଧୂ ମାନଙ୍କୁ ବାପଘର ପକ୍ଷରୁ ଏ ଆଦର୍ଶ ବୋହୁର କର୍ତ୍ତବ୍ୟ ଅନୁସରଣ ପାଇଁ ଦିଆ ଯାଉଥିଲା l ପରବର୍ତ୍ତୀ ସମୟରେ ବଧୂ ନିରୁପମା  ସିନେମାରେ ରୁପାୟିତ ହୋଇ ପ୍ରଭୂତ ଆଦର ଲାଭ କରିଥିଲା l
  ହେ ବନ୍ଧୁ ବିଦାୟ, ଏଇ ମନ ବୃନ୍ଦାବନ, ତୁମେ ତୃଷ୍ଣାର ଜଳ, ମାୟାବୀ ହୃଦୟ, ଗାରେ କଜ୍ଜଳ ଧାରେ ଲୁହ, ଟୋପାଏ ସିନ୍ଦୁର ଦିପଟ ଶଙ୍ଖା, ନାଗଫେଣୀ, ଆଗ୍ନେୟଗିରିରେ ବଣଭୋଜି, ଅଶ୍ୱମେଧର ଘୋଡ଼ା ଇତ୍ୟାଦି କିଛି ବିଶିଷ୍ଟ ଉପନ୍ୟାସ l
ଓଡ଼ିଆ ସାହିତ୍ୟର ସମାଜତାତ୍ଵିକ ରୂପରେଖ,
ସାମ୍ପ୍ରତିକ ସାହିତ୍ୟ, ସାହିତ୍ୟର ସୂଚୀପତ୍ର, ଇଶ୍ୱରଙ୍କ ଉତ୍ଥାନ - ପତନ ତାଙ୍କର କିଛି ସମାଲୋଚନା ଗ୍ରନ୍ଥ l
ଗଳ୍ପ ସମଗ୍ର, ଜୀବନର ଜଟିଳତା,ମନ ଭଲ ନାହିଁ,ରାଜକନ୍ୟାର ଦୁଃଖ, କେତେ ଯେ ବସନ୍ତ ସତେ ପ୍ରଭୃତି ଗଳ୍ପ ସଞ୍ଚୟନ ଦ୍ଵାରା ଆମ ଗଳ୍ପ ବିଭାଗ ସମୃଦ୍ଧ l
ଦ୍ଵାରକା ଦର୍ଶନ, ତୀରେ ତୀରେ ତୀର୍ଥ ପରି ଭ୍ରମଣ କାହାଣୀ ମଧ୍ୟ ତାଙ୍କ ସୁନ୍ଦର କୃତି l
  ଅନିୟମିତ ତ୍ରୟମାସିକ ପତ୍ରିକା "ଗଳ୍ପ " ର ସେ ସମ୍ପାଦକ l
ପ୍ରଜାତନ୍ତ୍ର ବିଷୁବ ମିଳନ ସମ୍ମାନ,ଝଙ୍କାର ସମ୍ମାନ,ଓଡିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ରେ ସାହିତ୍ୟିକ ଶ୍ରୀ ବିଭୁତି ପଟନାୟକ ସମ୍ମାନିତ l
  ଧରାବତରଣ ଦିବସରେ ତିନି ପୁରୁଷିଆ ଗଣ ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ପଟନାୟକଙ୍କୁ ପ୍ରଣାମ ଓ ଦୀର୍ଘ ନିରାମୟ ଜୀବନ ନିମିତ୍ତ ଭଗବାନଙ୍କ ଠାରେ ପ୍ରାର୍ଥନା l🙏🏼🌹🙏🏼
ଚିତ୍ର କୃତଜ୍ଞତା - ଉଇକିପେଡ଼ିଆ

  

No comments:

Post a Comment